ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୨୦୨୪ ଲୋକସଭା ନିର୍ବାଚନରେ ଦେଶରେ ଏନ.ଡ଼ି.ଏ. କୁ ବହୁମତ ମିଳିଛି । ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି । ଆଜି ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋଦୀଙ୍କ ୩.୦ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଟି.ଏମ.ସି. ମୁଖ୍ୟ ତଥା ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ଏକ ବଡ଼ ଦାବି କରିଛନ୍ତି । ଏହି ସରକାର ଅଧିକ ଦିନ ରହିବ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି ।
ସେ କହିଛନ୍ତି ଯେ, କିଛି ଭାଜପା ନେତା କିଛି ଦିନ ମଧ୍ୟରେ ଦଳ ଛାଡ଼ିପାରନ୍ତି । ଅନେକ ଭାଜପା ନେତା ଅତ୍ୟନ୍ତ ଅସନ୍ତୋଷ ଓ ଅସନ୍ତୁଷ୍ଟ ଅଛନ୍ତି । ଏହି ସରକାର ଅଧିକ ଦିନ ତିଷ୍ଠି ରହିବ ନାହିଁ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ତୃଣମୂଳ କଂଗ୍ରେସ ଯୋଗଦେବେ କି ନାହିଁ ଏହାର ଜବାବରେ ମମତା କହିଛନ୍ତି, ତାଙ୍କୁ ନିମନ୍ତ୍ରଣ ମିଳିନାହିଁ କିମ୍ବା ସେ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ପରିବର୍ତ୍ତନ ଆବଶ୍ୟକ, ଆମେ ରାଜନୈତିକ ପରିସ୍ଥିତି ଉପରେ ନଜର ରଖିଛୁ । ଆସିଥିବା ଆଦେଶ ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ । ଆଜି ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଦାବି କରି ନାହିଁ, ଏହାର ଅର୍ଥ ନୁହେଁ ଯେ, ଭବିଷ୍ୟତରେ ଆମେ ତାହା କରିବୁ ନାହିଁ ବୋଲି ସେ କହିଛନ୍ତି । ତେବେ ଏନେଇ ଏନ.ଡ଼ି.ଏ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।