ଏଣିକି ବ୍ୟାଙ୍କ ଭୁଲ କଲେ ଆଉ କ୍ଷମା ନାହିଁ । ବ୍ୟାଙ୍କର କୌଣସି ଭୁଲ ପାଇଁ କେହି ବି ଗ୍ରାହକ ହଇରାଣ ହେବେ ନାହିଁ । ଯଦି ଆପଣ ଘର କିମ୍ବା ଅନ୍ୟ କୌଣସି ଲୋନ୍ ନେଇଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଭଲ ଖବର । ବର୍ତ୍ତମାନ ଲୋନ୍ ପରିଶୋଧ କରିବା ପରେ ବନ୍ଧକ ସାମଗ୍ରୀର ଦଲିଲଗୁଡ଼ିକ ୩୦ ଦିନ ମଧ୍ୟରେ ଆପଣଙ୍କୁ ଫେରସ୍ତ କରାଯିବ । ଆଉ ଯଦି ଏଭଳି ନ ହୁଏ ତେବେ ପ୍ରତିଦିନ ଆପଣଙ୍କୁ ୫ ହଜାର ଟଙ୍କା ଦେବ ବ୍ୟାଙ୍କ । ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ôଥକ ସଂସ୍ଥା ପାଇଁ ଆରବିଆଇ ନୂଆ ନିର୍ଦ୍ଦେଶ ଜାରି କରିଛି । ୧ ଡିସେମ୍ବର ୨୦୨୩ ରୁ ଏହି ନୂଆ ନିୟମ କାର୍ଯ୍ୟଣକାରୀ ହେବ । ସେପ୍େଟମ୍ବର ୧୩ ରେ ଜାରି ବିଜ୍ଞପ୍ତିରେ ଆରବିଆଇ ଏହା ଘୋଷଣା କରିଛି ।
ବଦଳିବ ଲୋନ୍ ସହ ଜଡ଼ିତ ବଡ଼ ନିୟମ
ଆରବିଆଇ ଅନୁଯାୟୀ, ବ୍ୟାଙ୍କ ଏବଂ ଏନବିଏଫସିଗୁଡ଼ିକୁ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଦଲିଲଗୁଡ଼ିକ ଲୋନ୍ ପରିଶୋଧର ୩୦ ଦିନ ମଧ୍ୟରେ ଫେରସ୍ତ କରିବାକୁ ପଡ଼ିବ, ଯାହାକୁ ସେ ବନ୍ଧକ ରଖିଥିଲେ । ବର୍ତ୍ତମାନ ସୁଦ୍ଧା ଏପରି ଘଟୁଥିଲା ଯେ, ପ୍ରତ୍ୟେକ ବ୍ୟାଙ୍କ ଦଲିଲଗୁଡ଼ିକୁ ଋଣଦାତାମାନଙ୍କୁ ନିଜ ପଦ୍ଧତିରେ ଏବଂ ସମୟରେ ଫେରସ୍ତ କରୁଥିଲେ । ଏହା ଗ୍ରାହକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ସୃଷ୍ଟି କରୁଥିଲା । ଏହାକୁ ଧ୍ୟାନରେ ରଖି ଆରବିଆଇ ନୂଆ ନିୟମ ଆଣିଛି । ଅନେକ ସମୟରେ ହୋମ୍ ଲୋନ୍ ପାଇଁ ଘର ବନ୍ଧକ ରଖାଯାଇଥାଏ । ଏଥି ସହିତ ବ୍ୟକ୍ତିଗତ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ବୀମା ପଲିସି, ସେୟାର କିମ୍ବା ସିକ୍ୟୁରିଟିକୁ ବନ୍ଧକ ରଖିଥାନ୍ତି ।
୩୦ ଦିନରେ ଦଲିଲ ନ ଫେରାଇଲେ ବ୍ୟାଙ୍କ ଦେବ ଜରିମାନା
ତେବେ ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଯଦି ଋଣନେଇଥିବା ଲୋକଙ୍କୁ ୩୦ ଦିନ ମଧ୍ୟରେ ଦଲିଲ ଫେରସ୍ତ ନକରାଯାଏ, ତେବେ ବ୍ୟାଙ୍କ ଉପରେ ପ୍ରତିଦିନ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏହି ଟଙ୍କା ସିଧାସଳଖ ଋଣ ନେଇଥିବା ବ୍ୟକ୍ତିଙ୍କ ନିକଟକୁ ଯିବ । ଗ୍ରାହକଙ୍କ ପାଖରେ ଏହି ବିକଳ୍ପ ରହିବ କି, ସେମାନେ ସେହି ଦଲିଲକୁ ଲୋନ୍ ପାସ୍ ହୋଇଥିବା ବ୍ରାଞ୍ଚରୁ କଲେକ୍ଟ କରିପାରିବେ ବା ଯେଉଁଠାରେ ଦଲିଲ ରହିଛି, ସେଠାରୁ ଆଣିପାରିବେ । ଯଦି ଋଣଗ୍ରହୀତା ମରିଯାଏ, ବ୍ୟାଙ୍କଗୁଡିକ ନିଶ୍ଚିତ କରିବେ ଯେ କୌଣସି ଅସୁବିଧା ବିନା ଡକ୍ୟୁମେଣ୍ଟଗୁଡିକ ଆଇନଗତ ଉତ୍ତରାଧିକାରୀଙ୍କ ହାତରେ ପହଞ୍ଚିିବ । ଲୋନ୍ ସେକ୍ସନ୍ ଚିଠିରେ ଡକ୍ୟୁମେଣ୍ଟଗୁଡିକ ଫେରସ୍ତ ପାଇଁ ସମୟସୀମା ଏବଂ ସ୍ଥାନ ଉଲ୍ଲେଖ କରାଯିବା ଉଚିତ୍ ।